ଏଥର ନିର୍ବାଚନରେ କିଏ ଜିତିବ ଆଉ କିଏ ହାରିବ ?

ଏ କଥାଟି ସୁନିଶ୍ଚିତ ଯେ, ଯେଉଁ ଦଳଟି ସର୍ବାଧିକ ଭୋଟ ହାସିଲ କରିବ ସିଏ ହିଁ ଜିତିବ, ଆଉ ବାକି ସବୁ ଦଳ ହାରିଲେ ବୋଲି ନୁହଁ, କିଛି ଭୋଟ ପଛରେ ରହିଲେ ବୋଲି ଘୋଷଣା କରାହେବ । ଏହା ଚୟନ ପ୍ରକ୍ରିୟାର ଏକ ଫଳାଫଳ, ଯାହା ସରକାର ଗଠନ ପାଇଁ ସମ୍ବିଧାନର ଏକ ନିୟମ ପ୍ରଣାଳୀ । ଯେଉଁଥିରେ ଲୋକମାନଙ୍କ ଦ୍ଵାରା, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କର ସରକାର ଗଠନ ହୋଇଥାଏ ।

ଏହା ସତ ଯେ ସବୁ ଦଳ ନିଜର ସତ୍ତା ହାସିଲ କରିବା ପାଇଁ ନିର୍ବାଚନରେ ଅଂଶଗ୍ରହଣ କରିଥାନ୍ତି, କିନ୍ତୁ ହାରିବା ଜିତିବାର ଅର୍ଥ ସମସ୍ତଙ୍କ ପାଇଁ ଅଲଗା ପ୍ରକାରର ହୋଇପାରେ; ହୁଏତ କାହା ପାଇଁ ତାର ଟାର୍ଗେଟ ଭୋଟ ହାସିଲ କରିବା ଏକ ବିଜୟ। କାରଣ ସେହି ଦଳଟି ଯଦିଓ ସରକାର ବା ସତ୍ତା ହାସିଲ ନକରିପାରିଲା ତଥାପି ସେ ବିରୋଧୀ ଦଳ ହିସାବରେ ମଧ୍ୟ ନିଜର କାର୍ଯ୍ୟ କରିବା ସହିତ ନିଜର ଲୋକପ୍ରିୟତାକୁ ବୃଦ୍ଧି କରିପାରିବ ।

କଣ ହାରିବା ଆଉ ଜିତିବା ପାଇଁ ଖାଲି ରାଜନୀତି ?

ରାଜନୀତି କେବଳ ଏକ ଖେଳ ନୁହଁ, ଏହା ଏକ ଦାୟିତ୍ଵ ଓ ନିଷ୍ଠାପର ସେବା ଅଟେ । ରାଜନୀତିରେ ନିଜର ପ୍ରତିଷ୍ଠା ସ୍ଥାପନ କରିବା ପାଇଁ ନିଜକୁ ଅନେକ ସମୟ ଦେବାକୁ ହୁଏ । ହାରିବା ଜିତିବା ଠାରୁ ନିଜକୁ ଦୂରେଇ ଯଦି କେହି ନିଜ ମନରେ ଜନସେବା, ପ୍ରଗତି ଓ ପ୍ରକୃତିକ ସମ୍ପଦର ରକ୍ଷଣାବେକ୍ଷଣ ଭଳି କାର୍ଯ୍ୟକୁ ଆଖିରେ ରଖି କାର୍ଯ୍ୟ କରିବ; ତା’ହେଲେ ସେ ସ୍ୱଳ୍ପ ସମୟ ମଧ୍ୟରେ ନହେଉ ପଛେ ଭବିଷ୍ୟତରେ ଏକ ଭଲ ନେତା ବା ଜନପ୍ରତିନିଧି ଭାବରେ ନିଜର ବିଜୟ ସୁନିଶ୍ଚିତ କରିପାରିବ ।

ରାଜନୀତି ଏକ ବୃତ୍ତି ସହିତ ଏକ ଦାୟିତ୍ଵ ମଧ୍ୟ, ଯଦି ଆମେ ତାକୁ ସଠିକ ଭାବରେ ପରିଚାଳନା କରିବା ତାହେଲେ ସେଥିରୁ ଆମେ ଉଚିତ ମୂଲ୍ୟ ହାସିଲ କରିପାରିବା । ସେଥିପାଇଁ ନିଜ ଭିତରେ ନିଷ୍ଠା ଓ ସେବା ଭାବକୁ ବୃଦ୍ଧି କରିବା ଦରକାର । ରାଜନୀତିରେ ବିଜୟ ହାସିଲ ପାଇଁ ଏକ ପଦ୍ଧତି(Roadmap) ତିଆରି କରିବାକୁ ପଡିବ, ଯାହାକୁ ବର୍ତ୍ତମାନର ଦୁନିଆରେ ଲୋକମାନେ ସଫଳତା ହାସିଲ କରିବା ପାଇଁ ପ୍ରାୟ ସବୁ କ୍ଷେତ୍ରରେ ପ୍ରୟୋଗ କରୁଛନ୍ତି । ଏହାର ମୁଖ୍ୟ ଲକ୍ଷ ହେଉଛି ନିଜର ରାଜନୈତିକ ଛବିକୁ ସଦାସର୍ବଦା ଭଲ ଭାବରେ ବଜାୟ ରଖିବା ।

ରାଜନୈତିକ ଛବି ଗଠନ ନିମନ୍ତେ ପଦ୍ଧତି:

  • ସରକାରଙ୍କ କାର୍ଯ୍ୟକୁ ବିଶ୍ଳେଷଣ କରିବା ।
  • ଦୁନିଆରେ ଘଟୁଥିବା ଘଟଣାବଳୀ ସହ ନିଜକୁ ଅପଡେଟ ରଖିବା, ଏବଂ ତାରି ଉପରେ ନ୍ୟାୟସଙ୍ଗତ ହୋଇ ନିଜର ଟିପ୍ପଣୀ ଦେବା ।
  • ଆଞ୍ଚଳିକ ଲୋକଙ୍କର ପ୍ରଗତି ଉପରେ ଦୃଷ୍ଟିକୋଣ ଆଣିବା ପାଇଁ ସଭାର ଆୟୋଜନ କରିବା ।
  • ସାମାଜିକ କାର୍ଯ୍ୟରେ ନିଷ୍ଠାର ସହିତ ଯୋଗଦାନ କରିବା ।
  • ଲୋକଙ୍କ ସାମ୍ନାରେ ସଦା ସର୍ବଦା ନିଜର ରାଜନୈତିକ କାର୍ଯ୍ୟ ଦକ୍ଷତା ସାବ୍ୟସ୍ତ କରିବା ।
  • ଲୋକଙ୍କ ସହିତ ଯୋଡିହୋଇ ରହିବା ପାଇଁ ସାମାଜିକ ଗଣମାଧ୍ୟମ ଦ୍ଵାରା ନିଜର କାର୍ଯ୍ୟକଳାପକୁ ଅପଡେଟ କରିବା ।

ଭୋଟ ଦେବା କେଉଁଠି ?

ନିର୍ବାଚନ ସମୟ ନିକଟରେ ରାଜନୈତିକ ଦଳଗୁଡିକ ନିଜର ପ୍ରତିନିଧିକୁ ଜିତାଇବା ପାଇଁ ଅନେକ ପ୍ରକାରରେ ପ୍ରଚାର କରିଥାନ୍ତି, ସେଥିରୁ ବହୁତ ପ୍ରଚଳିତ “ଭୋଟ ଦେବା କେଉଁଠି, _______(ଅମକ) ଚିହ୍ନ ଯେଉଁଠି” । ବର୍ତ୍ତମାନ ଲୋକମାନେ ଆଗାମୀ ନିର୍ବାଚନରେ କାହାକୁ ନିଜର ମତଦାନ ଦେବେ ସେଥିପ୍ରତି ଅନେକ ଚର୍ଚ୍ଚା ଓ ସନ୍ଦେହ ମଧ୍ୟ । ଏହାର କାରଣ ଅନେକ ହୋଇପାରେ, ତଥାପି ଯଦି ଆମେ ଧ୍ୟାନ ଦେବା ଜାଣିପାରିବ ଯେ ଦୁନିଆର ପ୍ରଗତି ସାଙ୍ଗକୁ ରାଜନୈତିକ ଦଳଗୁଡିକ ସଠିକ ଭାବରେ ଖାପଖୁଆଇ ଆଗକୁ ଅଗ୍ରସର ହୋଇପାରୁନାହାନ୍ତି, କେମିତି ଆସନ୍ତୁ ଜାଣିବା ।

ବର୍ତ୍ତମାନ ହେଉଛି ଅତ୍ୟାଧୁନିକ ଯୁଗ, ଯଦିଓ କେହି ବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟରେ କୌଣସି ସ୍ନାତ୍ତକ ହାସିଲ କରିପାରିନଥିବ, ତଥାପି ତାକୁ ଦୁନିଆ ବିଷୟରେ ସବୁ ଜଣା । ଏସବୁ ସମ୍ଭବ ହୋଇପାରିଛି ଇଣ୍ଟରନେଟ ଓ ସ୍ମାର୍ଟଫୋନ ଯୋଗୁଁ । ଆଜିକାଲି ପ୍ରାୟ ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ, ଆଉ ସେଥିରୁ ସେମାନେ ସାରା ଦୁନିଆ ବିଷୟରେ ଜାଣିବା ପରେ ନିଜ ଭୋଟର ମୂଲ୍ୟକୁ ମଧ୍ୟ ସଠିକ ଭାବରେ ବୁଝିଲେଣି ।

ରାଜନୈତିକ ଦଳଗୁଡିକ କିନ୍ତୁ ଏକଥାକୁ ବୁଝିବାରେ ଅକ୍ଷମ ଯେ, ପ୍ରଗତିମୂଳକ କାର୍ଯ୍ୟରେ ଯେଉଁ ଭୋଟ ହାସିଲ କରିହେବ ତାହା ଅନ୍ୟ କୌଣସି ପ୍ରକାରେ ନୁହେଁ । ବର୍ତ୍ତମାନ ଯୁବପିଢି ଦୁନିଆ ଦେଖିବା ପରେ, ଅନ୍ଯାନ୍ଯ ବିକଶିତ ଅଞ୍ଚଳ ସହିତ ନିଜର ଆଞ୍ଚଳିକ ପ୍ରଗତିକୁ ତୁଳନା କରିସାରିଲେଣି ଏବଂ ଯଦି ସେହିପରି ବିକାଶ ହେଉନାହିଁ, ତା’ହେଲେ ତାର କାରଣକୁ ବୁଝିଗଲେଣି ।

ସେଥିପାଇଁ “ଭୋଟ ଦେବା କେଉଁଠି, ଆଞ୍ଚଳିକ ବିକାଶ ଯେଉଁଠି ।”

ପରିଶେଷରେ ଏତିକି ଅନୁରୋଧ ଯେ, ଆପଣ ଯଦି କୌଣସି ନେତା ହୋଇଥାନ୍ତି ତାହେଲେ କାମ ଅଧିକ ଭାଷଣ କମ ଦିଅନ୍ତୁ, ଆଉ ଜନତା ହୋଇଥିଲେ ନିର୍ବାଚନରେ ସାମିଲ ହୋଇ ନିଜର ମତଦାନକୁ ଆପଣଙ୍କର ଆଞ୍ଚଳିକ ବିକାଶ କରିବାରେ ଆଗଭରା ହେଉଥିବା ପ୍ରାର୍ଥିକୁ ଚୟନ କରନ୍ତୁ ।

Leave a Comment