ହୋଲି(Holi) ଓ ଦୋଳଯାତ୍ରା(Dola Jatra) ମଧ୍ୟରେ ପାର୍ଥକ୍ଯ କ’ଣ ? ଏବଂ ଏହାକୁ ସାରା ଦୁନିଆରେ କେଉଁ କେଉଁ ସ୍ଥାନରେ ପାଳନ କରାଯାଇଥାଏ ?

ହୋଲି ହେଉଛି ଏକ ଲୋକପ୍ରିୟ ଏବଂ ମହତ୍ବପୂର୍ଣ୍ଣ ପର୍ବ, ଯାହାକୁ ଆମେ ରଙ୍ଗ, ପ୍ରେମ ଓ ବସନ୍ତର ପର୍ବ ଭାବରେ ପାଳନ କରିଥାଉ । ଏହାକୁ ଆମେ ଦୋଳଯାତ୍ରା କିମ୍ବା ଦୋଳପର୍ବ ନାମରେ ମଧ୍ୟ ଜାଣନ୍ତି । ଦୋଳପର୍ବକୁ ଆମେ ବସନ୍ତ ଋତୁର ଫାଲ୍ଗୁନ ଦଶମୀଠାରୁ ପାଳନ କରିଥାନ୍ତି ।

ହୋଲି:

ହୋଲି ବର୍ଷକୁ ଥରେ ଆସି ଆମ ଜୀବନରେ ବସନ୍ତର ରଙ୍ଗ ଭରିଦେବା ସାଙ୍ଗକୁ ଶୀତକୁ ବିଦାୟ ଦେଇଥାଏ । ଏହି ଉତ୍ସବଟି ଆମ ଜୀବନର ଖରାପ ସଂପର୍କକୁ ଠିକ କରିବା ଏବଂ ସଂଘର୍ଷକୁ ସମାପ୍ତ କରିବା ପାଇଁ ଏକ ଅବସର ଦେଇଥାଏ ।

ହୋଲି ଉତ୍ସବର ଏକ ପୌରାଣିକ ମାନ୍ୟତା ମଧ୍ୟ ରହିଅଛି । ଯାହା ବେଦବ୍ୟାସଙ୍କ ରଚିତ ଭାଗବତ ପୁରାଣରେ ବର୍ଣ୍ଣନା କରାଯାଇଅଛି ଯେ, ଅସୁର ରାଜା ହିରଣ୍ୟକଶିପୁଙ୍କୁ କେମିତି ଭଗବାନ ବିଷ୍ଣୁ ନରସିଂହ ଅବତାରରେ ସଂହାର କରିଥିଲେ ।

ହିରଣ୍ୟକଶିପୁ ତପ ବଳରେ ବରପ୍ରାପ୍ତ କଲେ ଯେ; ତାଙ୍କୁ କୌଣସି ମନୁଷ୍ୟ ବା ଜୀବଜନ୍ତୁ ମାରିପାରିବେନି, କୌଣସି ଅସ୍ତ୍ରଶସ୍ତ୍ର ଭେଦ କରିପାରିବାନି, ଦିନ କିମ୍ବା ରାତିରେ ମୃତ୍ୟୁ ହେବ ନାହିଁ, ଘର ଭିତରେ କିମ୍ବା ବାହାରେ ମଧ୍ୟ ତାଙ୍କୁ କେହି ହତ୍ୟା କରିପାରିବେ ନାହିଁ ଏବଂ ଜଳ, ସ୍ଥଳ ଓ ପବନରେ ମଧ୍ୟ ତାଙ୍କର ମୃତ୍ୟୁ ହେବ ନାହିଁ । ଏହି ପଞ୍ଚୋଟି ବର ଯୋଗୁଁ ସେ ନିଜକୁ ସମ୍ପୂର୍ଣ ଅମର ବୋଲି ଭାବିନେଲେ, ତା ସହିତ ସ୍ଵୟଂ ନିଜକୁ ସେ ଭଗବାନ କହି, ସମସ୍ତେ ଭଗବାନଙ୍କ ବଦଳରେ ମୋର ପୂଜା କରନ୍ତୁ ବୋଲି ଆଦେଶ ଦେଲେ ।

କିନ୍ତୁ ହିରଣ୍ୟକଶିପୁଙ୍କ ପୁତ୍ର ପ୍ରହ୍ଲାଦ ଜଣେ ବିଷ୍ଣୁ ଭକ୍ତ ଥିଲେ । ସେ ନାରାୟଣଙ୍କ ଉପରେ ବହୁତ ବିଶ୍ଵାସ ରଖିବା ସହିତ ତାଙ୍କର ଭକ୍ତି ଓ ପୂଜା ଅର୍ଚନା କରନ୍ତି । ସମସ୍ତଙ୍କୁ ସଂସାରରୁ ମୁକ୍ତି ପାଇବା ପାଇଁ ଭଗବାନ ବିଷ୍ଣୁଙ୍କୁ ଭକ୍ତି କରନ୍ତୁ ବୋଲି ପ୍ରଚାର କରନ୍ତି ।

ପୁତ୍ର ପ୍ରହ୍ଲାଦର ଏହିପରି ଆଚରଣ ଅହଙ୍କାରୀ ହିରଣ୍ୟକଶିପୁଙ୍କୁ ଖରାପ ଲାଗିଲା । ସେ ଆଦେଶ ଦେଲେ ଯେ ପ୍ରହ୍ଲାଦଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଉ । କିନ୍ତୁ ସଦା ସର୍ବଦା ବିଷ୍ଣୁ ନାମ ଭଜନ ଯୋଗୁଁ ପ୍ରହ୍ଲାଦଙ୍କୁ ମାରିବା ଅସମ୍ଭବ । ହିରଣ୍ୟକଶିପୁର ଭଉଣୀ ରାକ୍ଷସୀ ହୋଲିକା ଏକ କୌଶଳ କରି କହିଲା ଯେ; ମୋ କୋଳରେ ପ୍ରହ୍ଲାଦକୁ ବସାଇ ଅଗ୍ନିକୁଣ୍ଡରେ ଛାଡିଦିଆଯାଉ, ଯେଉଁଥିରେ ମୋର ଶକ୍ତି ମୋ ଶରୀରକୁ ଅଗ୍ନିରୁ ମୋତେ ରକ୍ଷା କରିବ, କିନ୍ତୁ ପ୍ରହ୍ଲାଦକୁ ଅଗ୍ନି ବିନାଶ କରିଦେବ । ହୋଲିକାର କୋଳରେ ପ୍ରହ୍ଲାଦକୁ ବସାଇ ଅଗ୍ନିକୁଣ୍ଡରେ ଛାଡି ଦିଆଗଲା, କିନ୍ତୁ ସ୍ଵୟଂ ନାରାୟଣଙ୍କ ପ୍ରକୋପରେ ରାକ୍ଷସୀ ହୋଲିକା ଅଗ୍ନିରେ ପୋଡି ମଲା ଏବଂ ପ୍ରହ୍ଲାଦ ଉଦ୍ଧାର ପାଇଲା ।

ଏସବୁ ଦେଖି ହିରଣ୍ୟକଶିପୁ କ୍ରୋଧିରେ ରାଜଦ୍ଵାରର ଖମ୍ବକୁ ଏକ ଜୋର୍ଦାର ଗୋଇଠା ମାରି ପ୍ରହ୍ଲାଦକୁ କହିଲା, ଯଦି ତୋର ଭଗବାନ ବିଷ୍ଣୁ ଚାରିଆଡେ ଅଛନ୍ତି, ତାହେଲେ ମୋ ସାମ୍ନାରେ ଆସି ପ୍ରକଟ ହୁଅନ୍ତୁ । ଶେଷରେ ଧର୍ମ ରକ୍ଷା ପାଇଁ ସ୍ଵୟଂ ନାରାୟଣ ନୃସିଂହ ଅବତାରରେ(ଯାହାର ଶରୀରର ଉପରିଭାଗ ସିଂହ ଓ ତଳଭାଗଟି ମନୁଷ୍ୟର) ସେହି ଖମ୍ବରୁ ପ୍ରକଟ ହୋଇ ହିରଣ୍ୟକଶିପୁର ସଂହାର କଲେ, ଏବଂ ସାରା ଜଗତ ପ୍ରହ୍ଲାଦକୁ ଭକ୍ତ ପ୍ରହ୍ଲାଦ ନାମରେ ଜାଣିଲେ ।

ଏହି ପୌରାଣିକ କଥାକୁ ମନେପକାଇ ଜଗତରେ ଶାନ୍ତି, ପ୍ରେମ ଓ ଭଲପାଇବା ସ୍ଥାପିତ ପାଇଁ ଏବଂ ଦୁଷ୍ଟର ବିନାଶ ହେଉ ବୋଲି ଆମେ ହୋଲି ଉତ୍ସବରେ; ଗୋଟେ ନିର୍ଦ୍ଦିଷ୍ଟ ସ୍ଥାନରେ ନିଆଁ ଲଗାଇବା ସହିତ ତା’ରି ଚାରିପାଖରେ ନୃତ୍ୟସଙ୍ଗୀତ ଓ ଭକ୍ତି ଭଜନ କରିଥା’ନ୍ତି । ଏହାକୁ ଆମେ ହୋଲିକା ଦହନ ବୋଲି ମଧ୍ୟ କୁହନ୍ତି, ଯାହା ରାକ୍ଷସୀ ହୋଲିକା ଓ ଭକ୍ତ ପ୍ରହ୍ଲାଦଙ୍କର କଥାରୁ ପ୍ରେରିତ ଅଟେ ।

ଦୋଳଯାତ୍ରା/ଦୋଳପର୍ବ

ଦୋଳପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସହିତ ମା ସୁଭଦ୍ରା ଓ ପ୍ରଭୁ ବଳଭଦ୍ରଙ୍କର ରାଜ ବେଶ ହୋଇ ଦୋଳ ମଣ୍ଡପରେ ଦୋଳିରେ ଝୁଲା ହୁଏ, ଏବଂ ବିଭିନ୍ନ ରଙ୍ଗ ଅବିରରେ ତିନି ଠାକୁରଙ୍କୁ ରଙ୍ଗ ଲଗାଯାଏ । ଦୋଳପୂର୍ଣ୍ଣିମା ଦିନ ଶ୍ରୀଜଗନ୍ନାଥଙ୍କର ଶ୍ରୀକୃଷ୍ଣ ରୂପରେ ଶ୍ରୀରାଧାକୃଷ୍ଣ ମିଳନ ହେବା ସହିତ ଗୋପୀଙ୍କ ସହିତ ରଙ୍ଗ ଖେଳ ହୁଏ ବୋଲି ଆମେ ସମସ୍ତେ ଜାଣନ୍ତି । ଗାଁ ଗଣ୍ଡାରେ ମଧ୍ୟ ଦୋଳପର୍ବକୁ ଖୁବ ଆନନ୍ଦର ସହ ପାଳନ କରାଯାଇଥାଏ । ଏହା ବିଭିନ୍ନ ଗାଁଗଣ୍ଡା ଓ ସହର ବଜାରରେ ଫାଲ୍ଗୁନ ଦଶମୀଠାରୁ ଭିନ୍ନ ଭିନ୍ନ ଦିନରେ ପାଳିତ ହୁଏ ।

ଗ୍ରାମର ମୁଖ୍ୟ ମଣ୍ଡପରେ ଶ୍ରୀରାଧାକୃଷ୍ଣଙ୍କର ପୂଜାଭୋଗ ହୋଇ ରଙ୍ଗ ଅବିର ସହ ପ୍ରେମର ପ୍ରତୀକକୁ ଲୋକଙ୍କ ସହ ବଣ୍ଟାଯାଇଥାଏ । ବିଭିନ୍ନ ଘଣ୍ଟଶଙ୍ଖ ଧ୍ଵନୀ ଓ ହରିବୋଲ ହୁଳହୁଳି ସହିତ ଶ୍ରୀରାଧାକୃଷ୍ଣଙ୍କୁ ସାଙ୍ଗରେ ନେଇ ଯାତ୍ରା ଆରମ୍ଭ ହୁଏ, ଯେଉଁଥିରେ ଭଗବାନ ନଗର ପରିକ୍ରମା ସହିତ ସମସ୍ତଙ୍କର ଘର ସାମ୍ନା ଦାଣ୍ଡରେ ପଣାପାଣି ପାଇଥାନ୍ତି । ଲୋକମାନେ ଆନନ୍ଦର ସହିତ ଜଣେ ଅନ୍ୟକୁ ରଙ୍ଗ ଅବିର ଲଗାଇ ପ୍ରେମ ଓ ଭଲପାଇବା ବାଣ୍ଟିଥାନ୍ତି । ଆଗରେ ରଙ୍ଗବିରଙ୍ଗର ପତାକା, ଢୋଲବାଦ୍ୟ, ନାମ ସଙ୍କୀର୍ତ୍ତନ, ନାଚଗୀତ ଓ ଗୋପାଳଙ୍କର ବାଡିଖେଳ ସହିତ ଦୋଳଯାତ୍ରାର ଦୃଶ୍ୟ ଅନେକ ସୁନ୍ଦର ହୋଇଥାଏ । ଯାତ୍ରାଟି ଧୀରେ ଧୀରେ ଯାଇ ଗାଁମୁଣ୍ଡର ଗ୍ରାମଦେବତା ମଣ୍ଡପରେ ପହଞ୍ଚିଥାଏ, ସେ ସ୍ଥାନଟିକୁ ଦୋଳପର୍ବର କୁଞ୍ଜବନ ବୋଲି କୁହାଯାଏ । କୁଞ୍ଜବନରେ ଦୀପ ପ୍ରଜ୍ଵଳିତ ହୋଇ ଶ୍ରୀରାଧାକୃଷ୍ଣଙ୍କର ଗୋପୀମାନଙ୍କ ସହ ଦୋଳି ଖେଳ ହୁଏ ।

କୁଞ୍ଜବନର ଦୋଳିଖେଳ ପରେ, ପୁଣି ଠିକ ସେହିପରି ଘଣ୍ଟଶଙ୍ଖ ଓ ହରିବୋଲ ହୁଳହୁଳିର ଧ୍ଵନୀ ସହିତ ମୁଖ୍ୟମଣ୍ଡପ ଆଡକୁ ଠାକୁରଙ୍କର ବାହୁଡା ଯାତ୍ରା ଆରମ୍ଭ ହୋଇଥାଏ । ମୁଖ୍ୟ ମଣ୍ଡପରେ ଶ୍ରୀରାଧାକୃଷ୍ଣ ବିରାଜମାନ ହୋଇ, ମଞ୍ଚରେ ପରିବେଷଣ ହେଉଥିବା ନୃତ୍ୟ, ସଙ୍ଗୀତ ଓ ସଂସ୍କୃତିକ ନାଟକକୁ ଉପଭୋଗ କରିଥାନ୍ତି ।

ଗ୍ରାମବାସୀ ଏହି ଦୋଳପର୍ବରେ ସାମିଲ ହୋଇ ଖୁବ ଆନନ୍ଦିତ ହୋଇଥାନ୍ତି । ବନ୍ଧୁବାନ୍ଧବଙ୍କ ଆଗମନ ଯୋଗୁଁ ଛୋଟ ପିଲାମାନଙ୍କର ଖୁସି କହିଲେ ନସରେ, ତାଙ୍କୁ ତାଙ୍କର ନୂଆଁନୂଆଁ ସାଙ୍ଗସାଥିଙ୍କ ସହିତ ମିଶି ଦୋଳଯାତ୍ରାରେ ସାମିଲ ହେବା ଖୁବ ଆନନ୍ଦ ଦେଇଥାଏ ।

ପରିଶେଷରେ ରାତ୍ରି ନପାହିଲା ପୂର୍ବରୁ ଠାକୁରେ ତାଙ୍କର ମନ୍ଦିରକୁ ଚାଲିଯାଇଥାନ୍ତି, ଏବଂ ଦୋଳପର୍ବଟି ମଧ୍ୟ ଶେଷ ହୋଇଥାଏ । ବର୍ଷକରେ ଥରେ ମାତ୍ର ଏହି ପର୍ବଟିକୁ ପାଳନ କରାଯାଇଥାଏ । ଯାହା ଲୋକମାନଙ୍କ ସୁଖଦୁଃଖର ଜୀବନରେ ଆନନ୍ଦ ଭରି ଦେଇଯାଏ ।

ରଙ୍ଗଖେଳ(Playing Colours)

ସାଧାରଣତଃ ସାତୋଟି ରଙ୍ଗ ଆମେ ସମସ୍ତେ ଜାଣନ୍ତି ଯଥା:- ବାଇଗଣୀ, ଘନନୀଳ, ନୀଳ, ସବୁଜ, ହଳଦିଆ, ନାରଙ୍ଗୀ ଓ ଲାଲ (ବା,ଘ,ନୀ,ସ,ହ,ନା,ଲା) । ଏହା ବ୍ଯତୀତ ଆହୁରି ଅନେକ ରଙ୍ଗ ଅଛି ଯେମିତିକି ଧଳା, କଳା, ମାଟିଆ ଇତ୍ୟାଦି । କିନ୍ତୁ ସପ୍ତରଙ୍ଗକୁ ଆମେ ରଙ୍ଗଖେଳରେ ମୁଖ୍ଯତଃ ବ୍ୟବହାର କରିଥା’ନ୍ତି, ଏବଂ ଏହି ରଙ୍ଗଗୁଡିକ ଇନ୍ଦ୍ରଧନୁର ରଙ୍ଗ ମଧ୍ୟ ଅଟନ୍ତି ।

ହୋଲିରେ ତରଳ ରଙ୍ଗକୁ ପିଚକାରୀ ଓ ହାତ ସହାୟତାରେ ଜଣେ ଅନ୍ୟକୁ ରଙ୍ଗ ଲଗାଇ ପ୍ରେମ ଓ ଭଲପାଇବା ଆଦାନପ୍ରଦାନ କରିଥା’ନ୍ତି । କିନ୍ତୁ ଦୋଳଯାତ୍ରାରେ ଅବିରର ବ୍ୟବହାର କରାଯାଇଥାଏ । ରଙ୍ଗ ଆମ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ । ବିଭିନ୍ନ ରଙ୍ଗର ଭିନ୍ନ ଭିନ୍ନ ପ୍ରଭାବ ରହିଅଛି ଯଥା:-

  • ସବୁଜ(Green) ପ୍ରକୃତିର ରଙ୍ଗ, ଯାହା ଆମ ଶରୀରକୁ ଶାନ୍ତ କରିବାରେ ସହାୟକ ହୋଇଥାଏ ଏବଂ ମାନସିକ ଉତ୍ତେଜନାକୁ କମ କରିଥାଏ ।
  • ଲାଲ(Red) ରଙ୍ଗ ମନରେ ଉତ୍ତେଜନା ସୃଷ୍ଟି କରିବା ସହିତ ହୃତପିଣ୍ଡକୁ ତୀବ୍ର କରି ରକ୍ତ ସଂଚାଳନକୁ ବୃଦ୍ଧି କରିଥାଏ ।
  • ନୀଳ(Blue) ମନକୁ ଶାନ୍ତ ଓ ଶିଥିଳ କରିବା ସହିତ ରକ୍ତଚାପକୁ କମାଇବା ଓ ଭଲ ନିଦ୍ରା ଆଣିବାରେ ସାହାର୍ଯ୍ୟ କରିଥାଏ ।
  • ହଳଦିଆ(Yellow) ଖୁସିର ପ୍ରତୀକ, ଏହା ମସ୍ତିଷ୍କରେ ଭଲ ମନୋଭାବ ବା ମୁଡକୁ ଠିକ କରିଥାଏ ।
  • ବାଇଗଣୀ(Violet/Purple) ହେଉଛି ବିଳାସପୂର୍ଣ୍ଣ ଓ ରାଜକୀୟର ପ୍ରତୀକ । ଏହା ନୂତନ କିଛି ସୃଷ୍ଟି କରିବା ପାଇଁ ପ୍ରେରଣା ଦେଇଥାଏ ।

ଦେଶ ବିଦେଶରେ ହୋଲି(Holi in Worldwide)

ଭାରତ ସହିତ ହୋଲି ଉତ୍ସବକୁ ବର୍ତ୍ତମାନ ସାରା ଦୁନିଆରେ ପାଳନ କରାଯାଉଅଛି । ଲୋକମାନେ ସବୁ ଏହାର ମୌଳିକତାକୁ ଜାଣିବା ପରେ ଓ ରଙ୍ଗର ଲାଭ ପାଇବା ପାଇଁ ଖୁବ ଆନନ୍ଦର ସହିତ ହୋଲି ଉତ୍ସବକୁ ଆପଣାଇନେଉଛନ୍ତି ।

ଭାରତ ସହିତ ନେପାଳରେ(Nepal) ହୋଲିକୁ ଧୂମଧାମରେ ପାଳନ କରାଯାଇଥାଏ । ନେପାଳରେ ହୋଲି ଉତ୍ସବକୁ ଫଗୁ ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଇଥାଏ, ଏବଂ ସେହିଦିନଟି ତାଙ୍କର ଜାତୀୟ ପର୍ବ ଅଟେ । ପାକିସ୍ତାନରେ(Pakistan) ମଧ୍ୟ ହୋଲି ପାଳନ କରାଯାଇଥାଏ । ହୋଲି ଦିନ ପାକିସ୍ତାନରେ ଲୋକମାନେ ଏକ ପ୍ରକାରର ଖେଳ ଖେଳିଥାନ୍ତି ଯାହାର ନାମ କ୍ଷୀଡୋ(khido); ମାନ୍ୟତା ଅଛି ଯେ ଭକ୍ତ ପ୍ରହ୍ଲାଦ ପିଲାଦିନେ ଏହି ଖେଳକୁ ଖେଳିଥିଲେ ।

ଦେଖାଯାଇଅଛି ଯେ, ଭାରତ ବାହାରେ ବସବାସ କରୁଥିବା ଭାରତୀୟଙ୍କ ସହିତ ସେଠାକାର ନାଗରିକମାନେ ମଧ୍ୟ ହୋଲି ଉତ୍ସବକୁ ପାଳନ କରିଥାନ୍ତି । ସାରା ଦୁନିଆରେ ଅନେକ ହିନ୍ଦୁ ବହୁଳ ରାଷ୍ଟ୍ର ମଧ୍ୟ ଅଛନ୍ତି, ଏବଂ ସେମାନେ ହୋଲି ଉତ୍ସବକୁ ଖୁବ ଧୁମଧାମରେ ପାଳନ କରନ୍ତି, ଯଥା:- ଫିଜି(Fiji), ମରୁସିଅସ(Mauritius), ଗୁୟାନା(Guyana), ସୁରିନାମେ(Suriname)ଇଣ୍ଡୋନେସିଆ(Indonesia) ଓ ସଂଯୁକ୍ତ ରାଷ୍ଟ୍ର ଆମେରିକା(USA) ।

ହୋଲି ଅନୁପ୍ରେରିତ ଘଟଣା/ଇଭେଣ୍ଟ

ହୋଲି ଏକ ପର୍ବ ସହିତ ପ୍ରତିଭାର ପ୍ରଦର୍ଶନ ଏବଂ ଆନନ୍ଦ ଓ ଉପଭୋଗ କରିବାର ଏକ ମୂହୁର୍ତ୍ତ ମଧ୍ୟ । ସାରା ଦେଶରେ ବିଭିନ୍ନ ସ୍ଥାନ ମାନଙ୍କରେ, ସେହି ସ୍ଥାନର ମାନ୍ୟତା ଅନୁସାରେ ଇଭେଣ୍ଟ ପ୍ରସ୍ତୁତ ହୋଇଥାଏ, ଏବଂ ସେହି ଇଭେଣ୍ଟ ଗୁଡିକ ପ୍ରସିଦ୍ଧ ମଧ୍ୟ । ଯେମିତିକି ଉତ୍ତରପ୍ରଦେଶରେ କବି ସମ୍ମେଳନ ମଣିପୁରରେ ନୃତ୍ୟ ଯାର ନାମ ଥବାଲ ଚୋଙ୍ଗବା । ଏହା ସହିତ ଅନ୍ଯାନ୍ଯ ସ୍ଥାନ ମାନଙ୍କରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ମଧ୍ୟ କରାଯାଇଥାଏ ।

ବିଦେଶରେ ମଧ୍ୟ ଅନେକ ପ୍ରକାରର ଇଭେଣ୍ଟ ପ୍ରସ୍ତୁତ ହୁଏ ଯଥା: ସଂଗୀତ, ନୃତ୍ୟ ଓ ରଙ୍ଗ ଖେଳ ଇତ୍ୟାଦି । ସେଥିରେ ସାମିଲ ହେବାପାଇଁ ସଂସ୍ଥାନ ଗୁଡିକ କିଛି ପଇସା ମଧ୍ୟ ନେଇଥାନ୍ତି । କାରଣ ଏସବୁର ପ୍ରସ୍ତୁତରେ ଅନେକ ଅର୍ଥ ବ୍ୟୟ କରିବାକୁ ପଡିଥାଏ ।

ହୋଲି ବର୍ଷକୁ ଥରେ ଆସି ଆମ ଜୀବନର ନୀତିଦିନିଆ କାମ କାର୍ଯ୍ୟରୁ ଟିକେ ବିରାମ ନେବାପାଇଁ ପ୍ରେରିତ କରିବା ସହିତ ଜୀବନରେ ଆନନ୍ଦ ଉଲ୍ଲସିତ ଭରି ଦେଇଯାଏ ।

(Happy Holi)

Leave a Comment