‘ବସିଖିଆ ନା ଖଟିଖିଆ’ ? କଣ ଏ ସବୁ ସରକାର ଯୋଗାଇଦେଉଥିବା ରାସନ(ଚାଉଳ) ର ଦୋଷ ?

ବର୍ତ୍ତମାନର ଦୁନିଆଁ ଅତ୍ୟାଧୁନିକର ଦୁନିଆଁ ଇଂରାଜୀରେ ତାକୁ ଆମେ ମୋଡେର୍ଣ ୱାର୍ଲଡ (modern world) ବୋଲି ଜାଣିଥାନ୍ତି | ଏହି ଅତ୍ୟାଧୁନିକ ଦୁନିଆଁରେ ନିଜର କିମ୍ବା ପରିବାରର ପ୍ରତିପୋଷଣ ପାଇଁ ଯେକୌଣସି ପ୍ରକାରେ  ରୋଜଗାର କରିବା ଅତ୍ୟନ୍ତ ଜରୁରୀ ଅଟେ | ଲୋକମାନେ ନିଜ ନିଜର ଜ୍ଞାନକୌଶଳ ବା ଦକ୍ଷତା ଅନୁସାରେ କାମଧନ୍ଦା କରିଥାନ୍ତି, ଏବଂ ସେଥିରୁ ଧନ ଉପାର୍ଜନ କରି ନିଜର ଆବଶ୍ୟକତାକୁ ପୂରଣ କରିଥାନ୍ତି |

 ରୋଜଗାର

ରୋଜଗାର କହିଲେ ଆମେ ସାଧାରଣତଃ ଚାକିରୀ, ବ୍ୟବସାୟ ଓ ଅନ୍ୟାନ୍ୟ କାମଗୁଡିକୁ ଜାଣିଥାଉ | ଏ ସବୁ କାର୍ଯ୍ୟ କରିବାର ଯୋଗ୍ୟତା ପାଇଁ ସମସ୍ତେ ପିଲାଦିନୁ ଶିକ୍ଷ୍ୟା ଗ୍ରହଣ କରିଥାନ୍ତି ଏବଂ କିଛି କାମକୁ ଅଭ୍ୟାସ କରୁ କରୁ କରିନେଇଥାନ୍ତି | ବର୍ତ୍ତମାନ ସରକାର ଲୋକମାନଙ୍କୁ କାର୍ଯ୍ୟକ୍ଷମ କରିବା ପାଇଁ ବହୁତଗୁଡ଼ିଏ ଯୋଜନା ମଧ୍ୟ୍ୟ ଗଠନ କରିସାରିଲେଣି | ଆଜିକାଲିକା ଯୁଗରେ ବିଭିନ୍ନ ପ୍ରକାରର କାମଧନ୍ଦା ସବୁ ଅଛି, ଖାଲି କରିବାର ଈଛାଶକ୍ତି ହେଲେ ହେଲା | 

ଗରିବ ଏବଂ  ଦାରିଦ୍ର୍ୟତା 

ଆମ ଦେଶ ଯେତେ ପ୍ରଗତିଶୀଳ ହେଲେ ମଧ୍ୟ୍ୟ ଲୋକଙ୍କ ଗରିବ ଓ ଦାରିଦ୍ର୍ୟତା ସମ୍ପୂର୍ଣ ରୂପେ ଶେଷ ହୋଇପାରୁନାହିଁ | ଏସବୁର କାରଣ ଲୋକଙ୍କର ଦୈନଦିନ ଜୀବନର କାର୍ଯ୍ୟଶୈଳୀକୁ ସଠିକ ଯୋଜନାରେ ନକରିବା ଓ ସଂସାଧନଗୁଡିକ ସହିତ ସରକାରୀ ଯୋଜନାଗୁଡିକର ଅପବ୍ୟବହାର କରିବା ଯୋଗୁଁ ହୋଇଥାଏ |

ସରକାରଙ୍କ ପଦକ୍ଷେପ 

ବିଗତ କିଛି ବର୍ଷ ହେଲାଣି ସରକାର ଗରିବଲୋକମାନଙ୍କୁ ରାସନ ସାମଗ୍ରୀ ଅଳ୍ପ ପଇସାରେ ବଣ୍ଟନ କରିଆସୁଛି, କାରଣ ବହୁତ ଜାଗାରେ ଗରିବ ଲୋକମାନେ ପୌଷ୍ଟିକ ଆହାର ଠିକରେ ପାଇପାରୁନଥିଲେ | କିଛି ଲୋକ ଭୋକ ସମ୍ଭାଳି ନପାରି ବିଭିନ୍ନ ପ୍ରକାର ବନଜାତ ଦ୍ରବ୍ୟ ଖାଇଯାଉଥିଲେ, ଯେଉଁଥିପାଇଁ ସେମାନଙ୍କୁ ବିଭିନ୍ନ ପ୍ରକାର ରୋଗ ମଧ୍ୟ୍ୟ ହେଉଥିଲା ଓ କିଛି ଲୋକଙ୍କର ମୃତ୍ୟୁ ହୋଇଯାଉଥିଲା | ଏବଂ ନବଜାତ ଶିଶୁମାନେ ମଧ୍ୟ୍ୟ ଅପପୁଷ୍ଟି ରୋଗର ଶୀକାର ହେଉଥିଲେ | ମଣିଷ ଜୀବନର ତିନୋଟି ମୌଳିକ ଆବଶ୍ୟକତା ଖାଦ୍ୟ, ବସ୍ତ୍ର, ବାସଗୃହ, ମଧ୍ୟ୍ୟରୁ ଖାଦ୍ୟ ହେଉଛି ମୁଖ୍ୟ; ଯଦି ସେଇଆ ଠିକରେ ନ ମିଳିବ ତାହେଲେ ସେ ଜୀବନଧାରଣ କରିବ ବା କେମିତି ? ଏହି ସବୁ କାରଣକୁ ଆଖିରେ ରଖି ସରକାର ସ୍ୱଳ୍ପ ମୁଦ୍ରାରେ ରାସନ ବଣ୍ଟନର ବ୍ୟବସ୍ଥା କରିଥିଲେ | ଆମ ଓଡ଼ିଶାରେ ପ୍ରାୟ ସବୁ ସହର ଗୁଡିକରେ ଆହାର କେନ୍ଦ୍ରମାନ ଖୋଲାଯାଇଅଛି | ଯେଉଁଥିରେ ସହରକୁ ଆସୁଥିବା ଜନସାଧାରଣ ମାତ୍ର ୫ ଟଙ୍କାରେ ପେଟପୁରା ଭୋଜନ କରି ଆରାମରେ ନିଜ ନିଜର କାମଧନ୍ଦା କରିପାରୁଛନ୍ତି |   

ଖଟିଖିଆ ନା ବସିଖିଆ 

କିନ୍ତୁ ବର୍ତ୍ତମାନ ସରକାରଙ୍କ ପଦକ୍ଷେପ ଓଲଟା ହେଉଛି ବୋଲି ଲୋକମାନେ କହିଲେଣି | କାରଣ ଶସ୍ତାରେ ଚାଉଳ ବା ରାସନ ମିଳୁଥିବା ଯୋଗୁଁ ଲୋକମାନେ ଖଟିଖିଆ ନହୋଇ ବସିଖିଆ ହୋଇପଡୁଛନ୍ତି | 

ଆମ ଦେଶ ଭାରତ ଏକ କୃଷିପ୍ରଧାନ ଦେଶ ଅଟେ, ସେଥିମଧ୍ୟ୍ୟରୁ ଓଡିଶା ଅନ୍ୟତମ; କାରଣ ଓଡିଶାର ଲୋକେ କୃଷିରେ ଅଧିକାଂଶ ନିର୍ଭରଶୀଳ ହେଲେ ମଧ୍ୟ୍ୟ ବିଲବାଡ଼ି ଧୀରେ ଧୀରେ ପଡିଆ ପଡ଼ିଲାଣି | ଜମି ମାଲିକମାନଙ୍କୁ ବିଲବାଡିରେ କାମ କରୁଥିବା ଶ୍ରମିକ ବା ମୁଲିଆ ଆଉ ମିଳୁନାହାଁନ୍ତି, ଏହାର ମୁଖ୍ୟ କାରଣ ସରକାର ଶସ୍ତାରେ ଯୋଗାଇଦେଉଥିବା ରାସନ ବୋଲି ଲୋକମାନେ କହିଥାନ୍ତି | ଯେଉଁ ଲୋକମାନେ ମୂଲିଆ କାମ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ, ସେମାନଙ୍କୁ ଅତି ସହଜରେ ପ୍ରତି ମାସକୁ ମାସ ରାସନ ମିଳିଯାଉଛି | ସରକାର ଗରିବ ଲୋକଙ୍କ ଆର୍ଥିକ ଉନ୍ନତିରେ ସାହାର୍ଯ୍ୟ କରିବାକୁ ଯାଇ ତାଙ୍କର ଦରକାରୀ ମୌଳିକ ଜିନିଷ ପୂରା କଲାବେଳକୁ ସେମାନେ ଓଲଟା କାମ କରିବାକୁ ନାରାଜ ବୋଲି ଲୋକମାନେ ଆଲୋଚନା କଲେଣି | ଯୁବପିଢ଼ି ଅଧିକ ଆୟ ଆଶା ରଖି ସହରାଞ୍ଚଳ ଆଡକୁ ଚାଲିଯାଉଛନ୍ତି |   

ଏହିଭଳି ପରିସ୍ଥିତି ରେ ଚାଷୀମାନଙ୍କର ଅବସ୍ଥା ବହୁତ ଜଟୀଳ ହୋଇପଡିଛି | ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅନିୟମିତ ବର୍ଷା ସହିତ ମୂଲିଆଟିଏ ପାଇବା ବହୁତ କଷ୍ଟ ହୋଇଗଲାଣି |

ଖାଲି ସେତିକି ନୁହେଁ, ଧାନକୁ ଉଚିତ ମୂଲ୍ୟ ବିକ୍ରି କରିପାରିବେ କି ନାହିଁ ତାର କିଛି ଠିକ ଠିକଣା ନାହିଁ | କୃଷି ଯନ୍ତ୍ରପାତିଗୁଡିକର ବ୍ୟବହାର ଅନୁସାରେ ଜମିଗୁଡିକର ଭୌଗଳିକ ସ୍ଥିତି ସଠିକ ହୋଇନଥାଏ, ନଚେତ ଆଜିକାଲି ବହୁତ ପ୍ରକାରର ଯନ୍ତ୍ରପାତି ସବୁ ଆସିଗଲାଣି | ଏସବୁକୁ  ଆଖିରେ ରଖି ବ୍ୟୟ କଲାବେଳକୁ ଆୟ ସେତିକି ହେଉନାହିଁ | 

ଏସବୁ ଅସୁବିଧା ଯୋଗୁଁ ସାଧାରଣ ଲୋକଟିଏ ତାର ପାରମ୍ପରିକ ବୃତ୍ତି ଉପରେ ନିର୍ଭର କରି ତାର ପରିବାରର ପ୍ରତିପୋଷଣ କରିପାରିବା ବହୁତ କଠିନ ହୋଇଥାଏ | ତେଣୁ ସେ ଅନ୍ୟାନ୍ୟ ବିକଳ୍ପ ରେ ଟଙ୍କାପଇସା ରୋଜଗାର କରିବାକୁ ପ୍ରୟାସ କରିଥାଏ | 

Leave a Comment